You are currently viewing ଅବିଶ୍ବସ୍ଥ

ଅବିଶ୍ବସ୍ଥ

ଅବିଶ୍ବସ୍ଥ

ବୋଉ ଭାବେ ମୁଁ ସତ କୁହେ
ବାପା ଭାବନ୍ତି ମୁଁ କର୍ମଠ
ଜେଜେମା ପାଇଁ ମୁଁ ନିରୀହ
ସାହି ଵାଲାଙ୍କ ନଜରରେ ଭଲ
ତା ସ୍ବପ୍ନରେ ମୁଁ ବିଶ୍ଵସ୍ଥ ପ୍ରେମିକ
.
.
.
ହେଲେ ମୁଁ ବିଶ୍ୱାସ ଭାଙ୍ଗିବାରେ ମାହିର
ଚମତ୍କାର ଅଭିନୟରେ ପରାସ୍ତ କରିପାରେ ଅନେକ ବାସ୍ତବତା

ସେମାନେ ବେଶୀ ବେଶୀ ଭଲ ପାଆନ୍ତି
ଆଉ ମୁଁ ଠକେ ବେଶୀ ବେଶୀ
ମୋ ମନରେ କଷ୍ଟ ହୁଏନି ସେମାନଙ୍କ ମନରେ କଷ୍ଟ ଦେଇ
ମୁଁ ନିଜକୁ ଘଉଡ଼ାଇ ଦିଏ ଆଉ ଦଶ ପନ୍ଦର ମିଛ କଥା କହି

ଦିନକୁ ଦିନ ବଢ଼େ ମୋ ଅଭିନୟ
ମୁଁ ତୀକ୍ଷ୍ଣ କରେ ନିଜକୁ
ମାପିଚୁପି ଭାବନା ସହ ଖେଳିବାର ଆଦବ କାଇଦା ହାସିଲ କରେ
କେଉଁ ଜାଗାରେ କେତେ ମୁଣ୍ଡ ତଳକୁ, ହାତ ଦୁଇଟା ପକେଟରେ ପୁରାଇ
କେତେବାଗରେ କହିହେବ କଥା
ସବୁଦିନ ଚାଲେ ଅଭ୍ୟାସ
ଦିନକୁ ଦିନ ମୁଁ ଅଭ୍ୟସ୍ତ ହୁଏ ଠକିବାରେ
ବୁଝିଯାଏ ଆଖି ଲୁହରେ କିଣିହେବ କେତେ ଗଣ୍ଡା ଲୋକ

ବାହାରକୁ ଚାଲି ଆସେ
ବଜାର ଉପରକୁ
ସେଠ୍ ର ଘରକୁ
ସେଠ୍ ସୁନା ପଞ୍ଜୁରୀରେ ଥିବା ସୁରିଲା ପକ୍ଷୀକୁ

ଅନାଏ
ହସେ
ମୁହଁ ବୁଲେଇ ଚକ୍ରାନ୍ତ କରେ
କେଇ ସେକେଣ୍ଡରେ ତା ସହ ଭାବ ଲଗେଇ ପୁଣି ଫେରିଆସେ

ସିଏ ଝୁରେ
ମୁଁ ବିଶ୍ୱାସ କରେଇ,କଥା ଦେଇ, ତୁନି କରେଇ ଆସେ
ସିଏ ଭାବନାରେ ବୁଡି ରହେ
ମୋ ସ୍ବପ୍ନ ଦେଖେ
ମତେ ହିଁ ଅଣ୍ଡାଳେ

ମୁଁ ଏବେ ଆଉ ଏକ ସହରରେ
ଆଉ କାହା ଘର ବାରଣ୍ଡାରେ
ବଇଁଶୀ ଫୁଙ୍କୁଛି
କେହି ଜଣେ ବାହାରି ଆସିବ
କହି ପାରେ…. ଆହାଃ କେଡ଼େ ସୁରିଲା ଏ ଶବ୍ଦ
ବାବୁ ତୋର ରଜା ପିଲାର ଚେହେରା
ଖରାରେ କେଡ଼େ ଧୂସର ଦିଶୁଛି

ହେଇ ପଡିଗଲା ଥୋପ
ସେ ଗିଳୁଗିଳୁ ମୁଁ ଝଟକିନା ଉଠାଇଦେବି ବନିଶୀ
ବୁଝିଲା ବେଳକୁ ସିଏ ଲଟକିଥିବ କଣ୍ଟାରେ
ତା ଜୀବନ ଥିବ ମୋ ହାତ ପାପୁଲିରେ

ମୁଁ ବିଶ୍ୱାସୀ ଆଖିରେ ତାକୁ ଚାହିଁବି
ସେ ଜାଣିବ – ଏ ଜଣକ ତାକୁ ଫେରେଇ ପାରେ ଜୀବନ
.
.
.
ହା ହା ହା
ପ୍ରଗାଢ଼ ବିଶ୍ୱାସ ମୋ ଉପରେ ତାର
ହେଲେ ସେ କି ଜାଣେ,
ମୁଁ ବିଶ୍ୱାସ ଭଙ୍ଗା ଖେଳରେ ମାହିର…..

Leave a Reply