ଆରାଧନା
ତୁମେ ଆରାଧନା ମୋ ପୂଜା ଅର୍ଚ୍ଚନା,
ତୁମେ ମୋ ଜୀବନ ଗୀତି,
ତୁମଠାରେ ଲୟ ରଖି ମୁଁ ଚାଲଇ
ମଧୁମୟ କରେ ସ୍ଥିତି।।
ହୃଦୟରୁ ଝରେ ମଧୁର- ମୂର୍ଚ୍ଛନା
ତୁମ ନାମ ଗାଇ ଗାଇ,
ଅଶାନ୍ତ ଜୀବନ ଶାନ୍ତ ହୁଏ ମୋର
ତୁମ ପୂଜାଫୁଲ ହୋଇ।।
ଅତୃପ୍ତ -ବାସନା ଅସୀମ -କାମନା
ସବୁକୁ ଫୋପାଡ଼ି ଦେଇ,
ତୁମଠାରେ ମତି ତୁମଠାରେ ଭକ୍ତି
ମୋ’ଚିନ୍ତା ଚେତନା ଛୁଇଁ।।
ବିକାର ଦୂରେଇ ଆଶା ଚମକାଇ
ଆସ ତୁମେ ମୋର ପାଶେ,
ତୁମପାଖେ ଚିତ୍ତ ସମର୍ପି ଦେଇମୁଁ
ପୂଜିବି ଘୋର ବିଶ୍ୱାସେ।।
ହରିନିଅ ସବୁ ମନ୍ଦ ଗୁଣାବଳୀ
ଦିଅ ଶୁଦ୍ଧ-ଭକ୍ତି – ଜ୍ଞାନ,
ଏତିକି ଅଳିମୋ ରଖ ଅନ୍ତଃକାଳେ
ଆହେ! ଦିବ୍ୟ- ନିରଞ୍ଜନ।।
ମାଟିରେ ମିଶିବି ପଞ୍ଚ ଭୂତ ସାଥେ
ମାଟିଘଟ ହେବ ଲୀନ,
ତୁମ ଶ୍ରୀଚରଣେ ଆଶ୍ରା ଦେବ ଟିକେ
ଏଇ ମୋର ନିବେଦନ।।