ଏଇ ପାଟିରେ ଅମୃତ,
ଏଇ ପାଟିରେ ବିଷ
ଏଇଠି ସରଗ ଏଇଠି ନରକ
ଭୋଗ କର୍ମ ଆନୁଯାୟୀ,
ଏଇ ବଚନରେ ଅମୃତ ରହିଛି
ବିଷ ବି ଭରିଛି ରହି।
ହଳାହଳ ଶବ୍ଦେ ବିଷମୟ ସ୍ଥିତି
ଆପେ ଆପଣାର କ୍ଷତି,
କ୍ରୋଧରେ ସର୍ବାଙ୍ଗ ଦିଶେ ଭୟଙ୍କର
ମୁଖମଣ୍ଡଳ ଆକୃତି।
କ୍ରୋଧେ କଟୁବାକ୍ୟେ ଶତ୍ରୁଭାବ ସୃଷ୍ଟି
ବିପଦକୁ ଆଣେ ଡାକି ,
ସେ ବିପଦ ଦିନେ ମୃତ୍ୟୁର କାରଣ
ଶତ୍ରୁ ହିଂସା ଭାବ ରଖି।
ପରକଥା ଶୁଣି ହିତାହିତ ଭୂଲି
ଯେ ବିଷକୁ ଉଦ୍ ଗାରଇ,
ସେ କଟୁବିଷରେ ନିଜ ଧ୍ୱଂସସହ
ଅନ୍ୟକୁ ଧ୍ୱଂସ କରଇ।
ନିଜ ବଚନରେ ସଂଯମ ନୋହିଲେ
ପରିବାରେ ବିଶୃଙ୍ଖଳା,
ସମାଜ ଦୃଢତା ଆସହାୟ ହୁଏ
ବିଷାକ୍ତ ବାଣୀରେ ପରା।
ଏ ପାଟିରୁ ବିଷ ଶବ୍ଦ ଉଚ୍ଚାରଣେ
ଘଟେ ଯଦି ଅଘଟଣ,
ସମାଜେ ନିନ୍ଦିତ ଦୋଷୀ ପ୍ରମାଣିତ
କାରାବାସକୁ ବରଣ।
ଏ ପାଟିରେ ପୁଣି ରହିଛି ଅମୃତ
ବହେ ମନ୍ଦାକିନୀ ଧାରା,
ତପତ ପରାଣେ ଭାବିଦେଲେ ଟିକେ
ମୃଦୁହସ ଓଠେ ଭରା।
ପରକୁ ଆପଣା କରିବାର ମନ୍ତ୍ର
ସଂପର୍କକୁ ରଖେ ବାନ୍ଧି,
କ୍ଷମତା କି ଧନ ଅବା ମହାଜ୍ଞାନ
ପାରେନାହିଁ କିନ୍ତୁ ଛନ୍ଦି।
ମଧୁର କଥାର.ସ୍ୱର ବି ମଧୁର
ଜୀବନେ ପ୍ରେରଣା ଦେଇ,
ହାରି ଯାଇଥିବା ନିତି ମରୁଥିବା
ଜୀଇଁବା ଦିଏ ଶିଖାଇ।
ଶୁଦ୍ଧ ଅନ୍ତରରୁ ବିଶୁଦ୍ଧ ବଚନେ
ଟାଣିଆଣେ ଆଶୀର୍ବାଦ,
ପ୍ରଭୁଙ୍କ ପାଖରେ ମଙ୍ଗଳ ଇଛାରେ
ଶୁଭ କେ ମନାସୁଥିବ।
ଏ ପାଟିରେ ଅଛି ଅମୃତର ସିନ୍ଧୁ
ପୁଣି ବିଷର ଲହରୀ,
କାହାକୁ ଘେନିବ କାହାକୁ ରଖିବ
ବୁଦ୍ଧି ବିବେକ ବିଚାରି
ପ୍ରୟୋଗର କଳା ଶିଖିପାରେ ଯିଏ
ଜାଣେ ବଞ୍ଚିବା ଚାତୁରୀ।