🌹🌹 କବି ତୁମେ 🌹🌹
ତୁମେ ସୃଜିପାର ନିଥର ମରୁରେ
ଚନ୍ଦନ ନନ୍ଦନ ବନ
ପରିପୂର୍ଣ୍ଣ ସ୍ଵରେ ବିମୁଗ୍ଧ ସ୍ଵାକ୍ଷରେ
ଅମୃତର ଆବାହନ ।।
ଆବେଗର ତୁମେ ମୃତ୍ୟୁଞ୍ଜୟ ମନ୍ତ୍ର
ନବ ଚେତନାର ସୁର
ଆସରା ଭାବର ଚିର ସମର୍ପଣେ
ସାତ୍ତ୍ୱିକ ପ୍ରେମର ଝର ।।
ଭାବ ବନ୍ଧନରେ ପୀରତି ଅର୍ଘ୍ୟରେ
ଅମିୟ ପ୍ରଜ୍ଞାର ଧାରା
ଶାନ୍ତି ସଂପ୍ରୀତିର ମୈତ୍ରୀ ମାଳାରେ
ସୃଜନ ଯା ମଧୁକ୍ଷରା ।।
ନବ ଚେତନାର କୋମଳ ଆବେଗ
ଉନ୍ମେଷର ଦିବ୍ୟ ଭାବ
ଶବ୍ଦର ଅପୂର୍ବ ମିଠା ମୂର୍ଛନାରେ
ଶାଶ୍ଵତର ଅନୁଭବ ।।
ଅନୁରାଗ ଭରା ରୋମାଞ୍ଚିତ ଧାରା
ସାହିତ୍ୟ ଶାଶ୍ଵତ ପ୍ରୀତି
ଅସୀମ ଭାବର ଉପଲବ୍ଧି ତୁମେ
ଅନନ୍ୟର ଅନୁଭୂତି ।।
ତୁମେ ପ୍ରେରଣାର ଅନନ୍ତ ସାଗର
ଭାବର ବ୍ୟାପକ ପଣେ
ଶବ୍ଦ କୁଞ୍ଜ ବନେ କବିତା କାନନେ
ପ୍ରଜ୍ଞାର ପରାଗ ବୁଣେ ।।
ଦିବ୍ୟ କଳ୍ପନାର ସ୍ବପ୍ନିଳ ସମ୍ଭାରେ
ମନ ହୁଏ ଆନମନା
ମହକ ଭରା ଯା ସୃଷ୍ଟିର ସ୍ଵାକ୍ଷରେ
ଶବ୍ଦ ବ୍ରହ୍ମ ନିରାଜନା ।।
କଳା ସଂସ୍କୃତିର ରସାଣିତ କୃତି
ଅୟି ପ୍ରକୃତିର ପ୍ରୀତି
ସ୍ଵପ୍ନିଳ ମାୟାର ଚାରୁରୂପକଳ୍ପେ
ପ୍ରଜ୍ଞାର ପ୍ରଣବ ଜ୍ୟୋତି ।।
ଖିଆଲି ମନର ସୂକ୍ଷ୍ମ ଚିନ୍ତାଧାରା
ବିନ୍ଦୁରୁ ବ୍ରହ୍ମାଣ୍ଡ ଯାଏ
ବର୍ଣ୍ଣିଳ ଲେଖନୀ ବୈଭବ କଳାରେ
କବିତାର ରୂପ ପାଏ ।।
ଭାବର ମହକେ କଳ୍ପନା କହୁକେ
ଜୀବନ୍ୟାସ ପାଏ ଜଡ
ସଂଜ୍ଞା ପ୍ରାଣ ବନ୍ତ ସୁନ୍ଦର ଶାଶ୍ବତ
ନୀରବ ଓଠର ଝଡ ।।
ତୁମ ଲେଖନୀର ଅମୃତ ଲହରି
କୋଟି ହୃଦ ପ୍ରାଣ ଜୟୀ
ରମ୍ୟ ଅନୁପମ ସୃଷ୍ଟି ସର୍ଜନା ସେ
ଅପୂର୍ବ ମହକ ମୟୀ ।।
ଅପରିମେୟ ଯା ସୀମା ସରହଦ
ସିଏ କି ଚୈତନ୍ୟମୟୀ
କୋଟି ଲାବଣ୍ୟର କନକ ମଞ୍ଜରୀ
ପ୍ରଜ୍ଞାର ଐଶ୍ୱର୍ଯ୍ୟମୟୀ ।।
ଭାବମୟ ରସେ ମାଧୁର୍ଯ୍ୟପୀୟୂଷେ
ଅମୃତ ତନୟା ସେହି
କବିତା ଜ୍ଞାନର ଅମିୟ ନିର୍ଝର
ବିଶ୍ଵ ପ୍ରାଣ ପାରେ ମୋହି ।।
ଭାବତରଙ୍ଗର ମୋହିନୀ ମାୟାରେ
ଭୁଲିଯାଅ ନିଜ ସ୍ଥିତି
ତୁମ ଲେଖନୀରେ ସାଜଇ କବିତା
ଅଖଣ୍ଡ ସୈାଭାଗ୍ୟବତୀ