ଏଥର ଆଉ ନାହିଁ
ଦିନେ ନିଦ ଭାଙ୍ଗେ
ଝାଡିଝୁଡ଼ି ଠିଆ ହୁଅ ତଟସ୍ଥ, ସ୍ଥିତପ୍ରଜ୍ଞ
ବାସ୍ ! ଏଥର ଆଉ ନାହିଁ
ଅଧିକ ହେଇଗଲା ଆ ତା କଥା
ଏଥର ଆଉ ନାହିଁ, କେବଳ ଯୁଦ୍ଧ ଅବା ଯଜ୍ଞ ।
ଭିତରୁ ବାହାରି ଆସେ ବୈରାଗ୍ୟ
ଛିଡିଯାଏ ଯେତେ ସବୁ ସମ୍ପର୍କର ଶୃଙ୍ଖଳ
ବାସ୍ ! ଯଥେଷ୍ଟ ହେଇଗଲା
ଏବେ କେବଳ ମୁଁ ଆଉ ମୁଁ
ବିଶ୍ବର ନିଜସ୍ଵ , ସେଇଠୁ ନିସ୍ୱ ଓ ସନ୍ନ୍ୟାସ ।
ସଂସାର ତୁଣୀରରୁ ଫିଙ୍ଗିଦେଇ ତୀର
ଖାଲି କରି ଝୁଲା, ଅଛିଣ୍ଡା ରଖି ସବୁ ଜଞ୍ଜାଳ
ବାଟ ଖୋଜ ନିଖୋଜ ହେବା ପାଇଁ ।
କେତେ ବା ବଞ୍ଚିବ ଅନ୍ୟର ଜୀବନ
କେତେ ବା ସୁଖରେ ରହିବାର ଅଭିନୟ
କେତେ ବା ନିଜକୁ ବାଣ୍ଟୁଥିବ
ବାସ୍ ! ଆଜି ଟାଣିଦେଲ ଲକ୍ଷ୍ମଣରେଖା
ଏପଟ ନ ହେଲେ ସେପଟ।
ଏବେ ଦୃଶ୍ୟ ବଦଳିବାର ସମୟ ।
ଲୋକଟା ଅଫିସରେ ଭୋକିଲା ରହିଯିବ
ଟିକେ ଟିଫିନ୍ ସଜାଡ଼ିଦିଏ – ଏଇ ଶେଷଥର
ପେଟକୁ ପରା ଚିରି କାଢ଼ିଚି ପିଲା ଦୁଇଟା
ସ୍କୁଲ ବ୍ୟଗ ସଜାଡିଦିଏ – ଏଇ ଶେଷଥର
ଶାଶୁ କିଏ ମାଆ କିଏ
ସଜନା ଟିକେ ଖରଡ଼ି ଦିଏ – ଏଇ ଶେଷଥର
ମାସିକା, ବୀମା , ଜମା
ସବୁର ବାକି ଜମା କରେଇଦିଏ – ଏଇ ଶେଷଥର ।
ନିଶୁନ ଦ୍ୱିପହର !
ନିଦାଘ ଛାଇ ଖେଳ ଓ ନିଃସଙ୍ଗତା
ଶେଷ ଥର ଟିକେ ନିରେଖି ନିଏ
ଆଉଁସି ଦିଏ, ଆଉ କ’ଣ ଦେଖିହେବ ।
ପାଦ ଦୁଇଟା ଦୁଆର ଆଡ଼କୁ ମାଡିଯାଏ
ହେଲେ ସତରେ କ’ଣ ବନ୍ଧ ଡେଇଁପାରେ
ପୁଣି ମନକୁ ଆସେ – ସତରେ କ’ଣ ଏମାନେ
ବଞ୍ଚିଯିବେ ମୋତେ ଛାଡ଼ି
ଆହା! ମୋ ବିନା କେତେ ହନ୍ତସନ୍ତ ନ ହେବେ!
ଚୁଲିକୁ ଯାଉ ଏଇ ଶେଷ ଥରଟା
ସିଆଡେ ବାକି ପଡିଛି କେତେ କାମ ।