ଭୀଷ୍ମ ପଞ୍ଚକ
ଦୁଷ୍ଟଶକ୍ତି ଯେତେ ବିନାଶ ନିମନ୍ତେ
କୃଷ୍ଣଙ୍କର ଆବିର୍ଭାବ,
ଜାଣିଥିଲେ ଭୀଷ୍ମ ନିହାତି ଜରୁରୀ
ମହାଭାରତର ଯୁଦ୍ଧ।
ତନ,ମନ,ଧନେ ଶୁଦ୍ଧତା ଥାଇ ବି
ତଥାପି କୌରବ ପକ୍ଷ,
ପାଣ୍ଡବଙ୍କ ଶକ୍ତି ସାଜିବେ ସେ ଯଦି
ନୋହିବ ମହାଭାରତ।
ବିଦୂର ଓ କୃଷ୍ଣ ବୁଝାଇବା ପରେ
ନ ବୁଝିଲେ ଧୃତରାଷ୍ଟ୍ର,
ଯେଣୁ ପିତାମହ ପୁତ୍ରର ସପକ୍ଷେ
ଜିତିବା ନିଶ୍ଚୟ ସାର।
ଶିଷ୍ୟ ସଂଜୟଙ୍କୁ ଛାଡିଗଲେ ବ୍ୟାସ
କହିବାକୁ ଯୁଦ୍ଧକଥା
କିନ୍ତୁ କୁରୁରାଜ ଆନନ୍ଦେ ଗଦ୍ ଗଦ
ଯୁଦ୍ଧେ ଥୟ ଜିତିବାଟା।
ଯେଦିନ ଅର୍ଜ୍ଜୁନ ଭୀଷ୍ମ ଘୋରରଣ
ସମରର ଦଶଦିନେ,
ଘନଘନ ବାଣ କ୍ଷେପିଲେ ଯେ ଭୀଷ୍ମ
କୃଷ୍ଣ ବ୍ୟସ୍ତେ ଚିନ୍ତାମଗ୍ନେ।
ପାଣ୍ଡବ ପରାସ୍ତ ଜାଣି କୃଷ୍ଣ ରଥ
ଚକକୁ ଧରିଣ କ୍ଷୀପ୍ରେ,
ଧାମନ୍ତେ ଧରିତ୍ରୀ କଂପମାନ ଅତି
ଯେଣୁ ପ୍ରତିଜ୍ଞା ଛାଡିଲେ।
ଉତ୍ତରୀୟ ଉଡି ଧରାରେ ଯେ ପଡି
ନ ଥିଲା ତହିଁ ନଜର ,
ପହଞ୍ଚି ସମ୍ମୁଖ ଧରି ସେହି ଚକ
ଭୀଷ୍ମ ହସି ନମସ୍କାର।
ପ୍ରଭୁ ପୁଣି ନିଜେ ପ୍ରଣାମ କରିଲେ
ଭୀଷ୍ମଙ୍କ ଆଦେଶ ଘେନି ,
ଅର୍ଜ୍ଜୁନ ବାଣରେ ଶଯ୍ୟାଶାୟୀ ହେଲେ
ଭୀଷ୍ମ ନିଜ ଇଛା ଘେନି।
କାର୍ତ୍ତିକର ଶୁକ୍ଳ ଏକାଦଶୀ ଦିନ
ଘଟିବାରେ ଏ କାରଣେ
ପାଞ୍ଚଦିନ ଧରି ସହିଲେ ସେପରି
ନିରାହାରେ ଅନୁକ୍ଷଣେ।
ଅତ୍ୟଧିକ ତୃଷ୍ଣା ହେବାରୁ ଅର୍ଜ୍ଜୁନ
ଗଙ୍ଗାଜଳ ଭୂମିମଧ୍ୟୂ
ଦେବାରେ ତୃପତ ହେଲେ ଗଙ୍ଗାସୁତ
ବରିନେଲେ ଇଛାମୃତ୍ୟୁ।
ତେଣୁ ଶ୍ରୀକୃଷ୍ଣଙ୍କ ଘୋଷିତ ଏ ବ୍ରତ
ଅଟଇ ” ଭୀଷ୍ମ ପଞ୍ଚକ ” ,
ଭୀଷ୍ମ ସମ ଶୁଦ୍ଧ ଭକ୍ତି ଭାବ ପୁଣ୍ୟ
ଅଶ୍ୱମେଧ ଫଳ ପ୍ରାପ୍ତ।
ସୁଖ ଓ ସମୃଦ୍ଧି ,ସ୍ୱାସ୍ଥ୍ୟ,ଆୟୁ ବୃଦ୍ଧି
ନିସନ୍ତାନରେ ସନ୍ତାନ,
ଏ ପୁଣ୍ୟ କାର୍ତ୍ତିକ ପଞ୍ଚକ ମାହାତ୍ମ୍ୟ
ଅଶେଷ ଫଳ କାରଣ।