You are currently viewing ଅବାଞ୍ଛିତ

ଅବାଞ୍ଛିତ

ଅବାଞ୍ଛିତ

ଶିଶିର ସ୍ନାତ ସକାଳ । ସୂର୍ଯ୍ୟଙ୍କ ସୂନେଲି କିରଣ ଧରଣୀ ଉପରେ ପଡିବା ପରେ ମନେହେଲା ଯେମିତି ମୁକ୍ତା ବିନ୍ଦୁ ଗୁନ୍ଥି ହୋଇ ରହିଛି । ସାରା ସହର ସଜେଇ ହୋଇ ରହିଛ ଗ୍ରୀଟିଙ୍ଗସ୍ ର ତୋରଣରେ । ସବୁଠି ଚାଲିଛି ନୂଆବର୍ଷ ର ପ୍ରସ୍ତୁତି । ସାରା ସହର ଚଳଚଂଚଳ । ରାସ୍ତା ପାର୍ଶ୍ବ ଛୋଟ ବ୍ରିଜ ଉପରେ ବସିଛି ପାଗଳୀ ଟିଏ । ଏତେ ଶୀତରେ ବି ତା ଦେହ ଫୁଙ୍ଗୁଳା ରହିଛି । କେଶ ସବୁ ଜଟା ହୋଇ ରହିଛି । ଦେହ ଏମିତି ଦେଖା ଯାଉଛି ଯେମିତି କୋଉ ଯୁଗରୁ ସେ ଗାଧୋଇନି । ଅଂଟା ତଳକୁ ମସିଆ ଛିଣ୍ଡା ପୁଅ ପିଲା ପ୍ୟାଂଟ ଟିଏ ପିନ୍ଧିଛି ଆଉ ଦେହରେ ଉପର ଆଡୁ ଦୁଇଟି ବଟମ ଲାଗିଥିବା ପୁଅ ପିଲା ସାର୍ଟ । ତଳ ବଟମ ସବୁ ଖୋଲା ରହିଛି । ଯାହା ଫଳରେ ପେଟ ଅଂଶଟି ସ୍ପଷ୍ଟ ଭାବେ ଦେଖାଯାଉଛି । ସେ ଗର୍ଭବତୀ ଅଛି ତାର ବଡ ଦେଖାଯାଉଥିବା ପେଟରୁ ଯେ କେହି ବି କହିପାରିବ । ସାତ ଆଠ ମାସ ବୋଧେ ହୋଇଗଲାଣି । ହେଲେ ତାର ଏ ଅବସ୍ଥା କଲା କିଏ? ତାକୁ ଦେଖିଲେ ଛୁଇଁବାକୁ ଇଚ୍ଛା ହେବନି । ସେ’ତ ପାଗଳୀ ସେ କ’ଣ ଜାଣେ । ଯୋଉଠି ଯାହା ପାଇଲା ଖାଇଲା, ଯୋଉଠି ନିଦ ଲାଗିଲା ସେଇଠି ଶୋଇ ପଡିଲା । କିଏ ସେ ଅମଣିଷ ଯିଏ ତାର ଏ ଅବସ୍ଥା କରିଛି । ଦୁନିଆରେ ଯେତେ ଖରାପ ଭାଷା ଅଛି ସବୁ ତା ପ୍ରତି ପ୍ରୟୋଗ କଲେ ବି ଶବ୍ଦ କମ୍ ପଡିଯିବ । ରାଜରାସ୍ତାରେ ସେ ପେଟ ଦେଖାଇ ଚାଲେ । ଲୋକ ମାନଙ୍କ ନଜର ପଡେ । ସମସ୍ତେ ତା ପ୍ରତି ଦୟା ଦେଖାନ୍ତି ହେଲେ ତାକୁ ଥଇଥାନ କରିବା କି କୌଣସି ପ୍ରତିକାର ର ପନ୍ଥା ବାହାର କରିବା ପାଇଁ କାହା ପାଖରେ ସମୟ ନାହିଁ ଯେମିତି । ଏମିତି ଏକ ପୁଷ ସନ୍ଧ୍ୟାରେ ତାର ଗର୍ଭ ବେଦନା ଆରମ୍ଭ ହୋଇଥିଲା । ରାସ୍ତା କଡରେ ଶୋଇ ରହି ଛଟପଟ ହେଉଥିଲା । ଶୀତ ରାତ୍ରୀରେ ବି ତା ଦେହ ଝାଳରେ ବୁଡି ରହିଥିଲା । ଲୋକମାନେ ନିଜ ବାଟରେ ଚାଲିଛନ୍ତି କିଛି ଲୋକଙ୍କର ସେ ଆଡକୁ ନିଘା ନାହିଁ ଆଉ କିଛି ଲୋକ ଦେଖି ନଦେଖିଲା ପରି ଚାଲି ଯାଉଥାନ୍ତି । ପାଗଳୀ ହେଲେ ବି ସେ ନାରୀ ଟିଏ । ସବୁ ନାରୀଙ୍କ ଗର୍ଭ ଯନ୍ତ୍ରଣା ସମାନ । ସେ ଉପାୟ ଶୂନ୍ୟ । ଜାଣିବା ବୁଝିବା ର ଶକ୍ତି ତା ପାଖରେ ନାହିଁ । ଯୋଉ ମାନଙ୍କ ପାଖରେ ଜାଣିବା ବୁଝିବା ଶକ୍ତି ଅଛି ସେମାନେ ଅଣଦେଖା କରି ଚାଲି ଯାଉଛନ୍ତି । କିଛି ସାମାଜିକ କର୍ମୀ ଖବର ପାଇ ତାକୁ ନେଇ ମେଡିକାଲ ରେ ଆଡମିଟ କଲେ । ପାହାନ୍ତିଆ ପହର ବେଳକୁ ତାର ପୁଅ ଟିଏ ଜନ୍ମ ନେଲା । ପିଲାକୁ ଚାଇଲଡ କେୟାର କୁ ପଠାଇ ଦେଇ ପାଗଳୀକୁ ମାନସିକ ଚିକିତ୍ସା କେନ୍ଦ୍ରକୁ ପଠାଇଦେଲେ । କିଛି ସମୟ ପରେ କୁହୁଡି ଭିତରୁ ଗାଡି ଟି ଧିରେ ଧିରେ ଅଦୃଶ୍ୟ ହୋଇଗଲା |

Leave a Reply