ମନେପଡେ ଆଜି ଉତ୍କଳର ଗାଥା
ବୋଇତ ବନ୍ଦାଣ କଥା
କାର୍ତ୍ତିକ ପୂର୍ଣ୍ଣିମା ବାଲିଯାତ୍ରା ସ୍ମୃତି
ରହିଅଛି କେତେ ପ୍ରଥା।
ଉତ୍କଳ ମାତାର ସାଧବ ପୁଅତ
କରୁଥିଲା କାରବାର
ଜଳପଥରେ ସେ ଲଙ୍ଘି ଆସୁଥିଲା
ତେରନଦୀ ପାରାବାର।
ଆଷାଢ଼ ମାସରେ ଯାତ୍ରା ଆରମ୍ଭିଣ
ଜାଭା ସୁମାତ୍ରାକୁ ଯାଇ
କାର୍ତ୍ତିକ ମାସରେ ଫେରି ଆସୁଥିଲା
ଧନ ଦଉଲତ ନେଇ।
ସିଂହଳ ଦ୍ବୀପରେ ଜାଭା ସୁମାତ୍ରାରେ
ସାଧବଙ୍କ ଥିଲା ଖ୍ୟାତି
ଓଡିଆ ସଂସ୍କୃତି ସବୁ ରୀତି ନୀତି
ବିଦେଶରେ ପ୍ରିୟ ଅତି।
ସ୍ବାମୀ ଚାଲିଯାଏ ଦରିଆ ପାରିକୁ
ନିଜର ବୋଇତ ନେଇ
ସାଧବ ବୋହୁଟି ଦିନ କାଟୁଥାଏ
ଫେରିବା ବାଟକୁ ଚାହିଁ।
ସ୍ବାମୀର ମଙ୍ଗଳ କାମନା କରିଣ
ସକାଳୁ ସ୍ନାହାନ ସାରି
ଭଲରେ ଭଲରେ ଫେରିଆସ ପ୍ରିୟ
ବେପାର ବଣିଜ କରି।
ରାସ ପୂର୍ଣ୍ଣିମାରେ ନଦୀ ମୁହାଣରେ
ବୋଇତ ଲାଗଇ ଆସି
ପାନ ଗୁଆ ନେଇ ବୋଇତ ବନ୍ଦାଏ
ସାଧବାଣୀ ହସି ହସି।
ଦୂର ବିଦେଶରୁ ସାଧବ ଆଣଇ
କେତେ ସୁନା ଅଳଙ୍କାର
ବରଷକ ପାଇଁ ଅଭାବ ନଥାଏ
ହସି ଉଠୁଥାଏ ଘର।
ସାଧବ ପୁଅର ଥିଲା ଅବଦାନ
ଉତ୍କଳ ସମୃଦ୍ଧି ପାଇଁ
ଦେଶ ବିଦେଶରେ ଓଡିଆ ପୁଅର
ଗଉରବ ଗଲା ରହି।
ଉତ୍କଳ ମାଟିର ଗର୍ବ ଗଉରବ
ସାଧବ ପୁଅର କଥା
ଦିନ ଚାଲିଗଲା ଚିହ୍ନ ରହିଗଲା
ବୋଇତ ବନ୍ଦାଣ ପ୍ରଥା।
ସମୁଦ୍ର ମୁହାଣ ବନ୍ଦର ସାଜିଛି
ବୋଇତର ନାହିଁ ଚିହ୍ନ
ସମୁଦ୍ର ବୁକୁରେ ଜାହାଜ ଛୁଟୁଛି
ଆଗେଇ ଗଲା ବିଜ୍ଞାନ।
ମହା କାର୍ତ୍ତିକରେ ମହା ଆନନ୍ଦରେ
ହବିଷ ପାଳନ କରି
ଚଉରା ମୂଳରେ ଧୂପଦୀପ ଦେଇ
ବିଷ୍ଣୁଙ୍କ ନାମକୁ ସ୍ମରି।
ପାଞ୍ଚଦିନ ଧର୍ମ ପାଳନ କରିଣ
ସକାଳ ସ୍ନାହାନ ସାରି
ନାଆଟେ ଭସାନ୍ତି ନଦୀର ଜଳରେ
କଦଳୀ ପଟୁଆ ଧରି।
ଆଜିର ଦିନରେ ମନେ ପକାଇବା
ପୁରୁଣା ଦିନର କଥା
ବୋଇତ ବନ୍ଦାଣ ଆମରି ଐତିହ୍ୟ
ଏତ ଉତ୍କଳର ପ୍ରଥା।